ସାଧାରଣ ଗୃହିଣୀ ପାଇଁ 'ଲୁଣ' ଏକ ଦୈନନ୍ଦିନ ଅସଚେତନ ବସ୍ତୁ ତାହା ଜଣେ ଅଭ୍ୟାସ ବଶତଃ ବ୍ୟଞ୍ଜନରେ ଦିଏ! ବ୍ୟଞ୍ଜନ ସ୍ୱାଦିଷ୍ଟ ହୁଏ । କବିତାର ଲୁଣ ଅଭିଧା ଅର୍ଥରେ ଗୋଟିଏ ବସ୍ତୁ ନୁହେଁ, ଏହା ଏକ ପ୍ରତୀକ, ଏକ ଭାବ, ଯହିଁରେ କବିର ଚେତନା ସମୟ, ସ୍ଥାନ, ଅବସ୍ଥା ଓ ଘଟଣାକୁ ଅତିକ୍ରମି ଏମିତି ଏକ ଭାବ ପ୍ରସ୍ତୁତ କରେ, ତାହା କାବ୍ୟରେ 'ବ୍ୟଞ୍ଜନା' ରୂପେ ପ୍ରକାଶିତ ଓ ବ୍ୟକ୍ତ ।ସଂଘମିତ୍ରାଙ୍କ 'ଲୁଣ ଓ ଅନ୍ୟାନ୍ୟ କବିତା' ସଂକଳନରେ ସେଇ ଭାବ, ପ୍ରତୀକ ଓ ବ୍ୟଞ୍ଜନାର ଶବ୍ଦରୂପ ଅଭିବ୍ୟକ୍ତ । ଜୀବନର ଅନୁଭବର ଅର୍ଥ ଖୋଜି ବସିଲେ, ତା' ଭିତରୁ ସୁନ୍ଦର କବିତାଟିଏ ବାହାରେ । ସଂଘମିତ୍ରାଙ୍କ 'ଲୁଣ' ଇତିହାସ ବର୍ଣ୍ଣିତ ଗାନ୍ଧୀଙ୍କ ଲୁଣର ପ୍ରତୀକଟିଏ । ଏହାର ବ୍ୟାପ୍ତି ଅନୁଭବବେଦ୍ୟ ।