ବୀଣାପାଣି ମହାନ୍ତିଙ୍କ ମତରେ ସାହିତ୍ୟ ଅନ୍ତଃକରଣରୁ ସୃଷ୍ଟି । ୧୯୫୫ ମସିହାରେ 'ତନ୍ଦ୍ରାହତ' କବିତାରୁ ତାଙ୍କ ସାହିତ୍ୟଯାତ୍ରାର ଆରମ୍ଭ । ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ତାଙ୍କ ସାରସ୍ୱତ ଜୀବନ ଭାରତୀୟ ପାଠକ ତଥା ଅସଂଖ୍ୟ ନାରୀମାନଙ୍କପାଇଁ ଅଦମ୍ୟ ପ୍ରେରଣାର ଉତ୍ସ ପାଲଟିଛି । ଓଡ଼ିଶାରେ ଓଡ଼ିଆ ଲେଖିକା ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଷାଠିଏ ଦଶକରୁ ଊର୍ଦ୍ଧ୍ୱ ତାଙ୍କ ସାହିତ୍ୟିକ ଯାତ୍ରା ଏତେ ସହଜ ନ ଥିଲା । ରକ୍ଷଣଶୀଳ ସମାଜର ରୁଢ଼ିବାଦୀ - ତିର୍ଯ୍ୟକ୍ ଦୃଷ୍ଟିପ୍ରତି ଭୟଭୀତ ନ ହୋଇ ସେ ସ୍ୱଚ୍ଛନ୍ଦ ଭାବରେ ସମାଜର ଅନ୍ତର୍ନିହିତ ବିକୃତି, ଅସଂଗତି ତଥା ବାସ୍ତବତାକୁ ନିଜ ଗଳ୍ପସାହିତ୍ୟରେ ଚିତ୍ରିତ କରିଛନ୍ତି । ନିଜର ଶକ୍ତିଶାଳୀ ଲେଖନୀ ଚାଳନାଦ୍ୱାରା ତାଙ୍କର ମୌନ ବିଦ୍ରୋହ ରକ୍ଷଣଶୀଳ ସମାଜ ପାଇଁ ଥିଲା ନମ୍ର ସାରସ୍ୱତ ପ୍ରତିବାଦ । ବିଶିଷ୍ଟ ସାହିତ୍ୟିକ ଅନନ୍ତ ପଟ୍ଟନାୟକ, ଗୌରଚନ୍ଦ୍ର ପଟ୍ଟନାୟକ, ବ୍ରହ୍ମୋତ୍ରୀ ମହାନ୍ତିଙ୍କ ପ୍ରଗତିବାଦୀ ଅନୁଚିନ୍ତା ତାଙ୍କ ସାହିତ୍ୟର ନାରୀବାଦୀ ବିଚାରକୁ ଶକ୍ତି ଯୋଗାଇଥିଲା । ନାରୀର ସମସ୍ୟା, ସଂଗ୍ରାମ, ଯନ୍ତ୍ରଣାର ସେ ପ୍ରତିନିଧିତ୍ୱ କରିଛନ୍ତି । ଜୀବନାନୁଭୂତି ସହିତ ବ୍ୟକ୍ତିକ ଅଭିଜ୍ଞତା ହିଁ ତାଙ୍କ ଲେଖନୀର ସାମର୍ଥ୍ୟ । ଓଡ଼ିଆ ଅସ୍ମିତାର ସେ ଥିଲେ ସଚେତନ ଧାତ୍ରୀ । ସେଥିପାଇଁ ସାମାଜିକ, ସାଂସ୍କୃତିକ ପରିବର୍ତ୍ତନର ସ୍ୱର ତ